June 9, 2026

ସୁନ୍ଦରଗଡ଼ରେ “ଅମୃତ ବିନ୍ଦୁ” ରକ୍ତଦାନ ଶିବିର ଅନୁଷ୍ଠିତ, ୨୯ ୟୁନିଟ୍ ରକ୍ତ ସଂଗ୍ରହ

ସୁନ୍ଦରଗଡ଼, ୭ ଜୁନ: ଭଗବାନ ଶ୍ରୀ ସତ୍ୟସାଇ ସେବା ସମିତିର ଆନୁକୂଲ୍ୟରେ ସୁନ୍ଦରଗଡ଼ରେ “ଅମୃତ ବିନ୍ଦୁ” ନାମକ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡ୍ ବ୍ୟାଙ୍କରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସକାଳ ପ୍ରାୟ ୮ଟାରେ ଦୀପ ପ୍ରଜ୍ୱଳନ ଓ ବେଦମନ୍ତ୍ର ଉଚ୍ଚାରଣ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହାପରେ ରକ୍ତଦାତାମାନଙ୍କର ପଞ୍ଜିକରଣ କରାଯାଇ ରକ୍ତ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା।

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଦାନ ଭ୍ୟାନ୍ ଓ ବ୍ଲଡ୍ ବ୍ୟାଙ୍କର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ। ସମିତିର ଆବାହକ ସୁରେନ୍ଦ୍ର କୁମାର ଦତ୍ତ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଶିବିରଟି ସୁଚାରୁ ଭାବରେ ପରିଚାଳିତ ହୋଇଥିଲା।

ପ୍ରବଳ ଗ୍ରୀଷ୍ମ ସତ୍ତ୍ୱେ ଅନେକ ସ୍ୱେଚ୍ଛାସେବୀ ରକ୍ତଦାନ ପାଇଁ ଆଗେଇ ଆସିଥିଲେ। ରକ୍ତଦାନ ପରେ ସେମାନଙ୍କ ପାଇଁ ଜୁସ୍, କଦଳୀ, ମିଠା ଓ ଜଳଖିଆର ବ୍ୟବସ୍ଥା କରାଯାଇଥିଲା।

କିଛି ଆଗ୍ରହୀ ବ୍ୟକ୍ତି ବୟସ ଓ ସ୍ୱାସ୍ଥ୍ୟଗତ କାରଣରୁ ରକ୍ତଦାନ କରିପାରିନଥିଲେ। ମଧ୍ୟାହ୍ନ ପ୍ରାୟ ୧ଟା ସୁଦ୍ଧା ମୋଟ ୨୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

ଆୟୋଜକମାନେ ସୂଚନା ଦେଇଛନ୍ତି ଯେ, ଆଗାମୀ ପ୍ରାୟ ତିନି ମାସ ପରେ ପୁଣି ଏକ ରକ୍ତଦାନ ଶିବିର ଆୟୋଜନ କରାଯିବ। ଶେଷରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସମସ୍ତ ରକ୍ତଦାତା, ଚିକିତ୍ସାକର୍ମୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଯାଇଥିଲା।

Written by

SURYA NARAYAN MOHAPATRA

District Reporter

Leave a Reply

Your email address will not be published. Required fields are marked *

INDIAN PRESS UNION

Indian Press Union (IPU) A National Platform for Journalists and Media Professionals.

© 2026 All Rights Reserved IPU MEDIA ASSOCIATION