ବାଣପୁର: ଓଡ଼ିଶା ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶନିବାର ରାଜ୍ୟର ସମସ୍ତ ଅନୁବନ୍ଧିତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଏକାକାଳୀନ ଭାବେ ଅନୁଷ୍ଠିତ ହୋଇଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ସକାଳ ୭.୩୦ ଘଟିକାଠାରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୩.୦୦ ଘଟିକାରେ ସମାପ୍ତ ହୋଇଥିଲା।
ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଓକିଲ ବନ୍ଧୁମାନଙ୍କୁ ନିଜ ସପକ୍ଷରେ ମତ ଦେବାକୁ ଘରକୁ ଘର ବୁଲି ବିଭିନ୍ନ ପ୍ରକାର ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ଚାରି ଘଟିକାରେ ଗଣତି ଆରମ୍ଭ କରାଯାଇ ଫଳ ପ୍ରକାଶ ପାଇଥିଲା।
ଚଳିତ ନିର୍ବାଚନରେ ସଂଘର ସମୁଦାୟ ୧୩୦ ଜଣ ଆଇନଜୀବୀ ସେମାନଙ୍କର ଭୋଟ ଦେଇଥିବା ବେଳେ ସଭାପତି ଭାବେ ଜଗନ୍ନାଥ ଭୋଳ, ଉପ ସଭାପତି ଭାବେ ନିରୋଜ କୁମାର ମହାନ୍ତି, ସମ୍ପାଦକ ଭାବେ ମହେନ୍ଦ୍ର ପ୍ରସାଦ ସାମନ୍ତସିଂହାର, ସହ ସମ୍ପାଦକ ଭାବେ ନରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭ୍ୟ ଭାବରେ ସୁଦର୍ଶନ ଜାଲି ଓ ଚିରସ୍ମିତା ବେହେରା ବିଜୟୀ ହୋଇଛନ୍ତି।
ଉକ୍ତ ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବରେ ଆଇନଜୀବୀ ମନୋଜ କୁମାର ମହାପାତ୍ର ଏବଂ ସହ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ସୁନୀଲ ମହାପାତ୍ର ଓ ସୁଧୀର ପ୍ରଧାନ ପରିଚାଳନା କରିଥିବା ବେଳେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଆଇନଜୀବୀ ଅଶୋକ କୁମାର ଚମ୍ପତ୍ତି ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିଥିଲେ।
ତେବେ ଉପ ସଭାପତି ପଦ ଫଳାଫଳକୁ ନେଇ ବିବାଦ ଦେଖାଦେଇଛି। ପରାଜିତ ପ୍ରାର୍ଥୀ ରାମଚନ୍ଦ୍ର ପଲାଇ ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ ଅନିୟମିତତା ନେଇ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ, ନିର୍ବାଚନ ଅଧିକାରୀ ପ୍ରଥମେ ଉପ ସଭାପତି ଭାବେ ରାମଚନ୍ଦ୍ର ପଲାଇଙ୍କ ନାମ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ପରବର୍ତ୍ତୀ ସମୟରେ ନିରୋଜ କୁମାର ମହାନ୍ତିଙ୍କ ନାମ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଏହାକୁ ରାମଚନ୍ଦ୍ର ଦୃଢ ବିରୋଧ କରିଥିବା ସହ ଏନେଇ ଆପତ୍ତି ଜଣାଇଥିବା କହିଛନ୍ତି।
ରାମଚନ୍ଦ୍ରଙ୍କ ସପକ୍ଷରେ ଥିବା ଦୁଇଟି ବୈଧ ଭୋଟକୁ ପରବର୍ତ୍ତୀ ସମୟରେ ଅବୈଧ ଘୋଷଣା କରାଯାଇଥିବା ଏବଂ ଏଥିରୁ ସେ ପରାଜିତ ହୋଇଥିବା ଦାବି ସେ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ଭୂମିକାକୁ ନେଇ ଆପତ୍ତି ଜଣାଇ ସେ ନ୍ୟାୟ ପାଇବା ଉଦ୍ଦେଶ୍ୟରେ ରାଜ୍ୟ ଆଇନଜୀବୀ ପରିଷଦ ସମେତ ଓଡିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହେବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ଏହି ଅଭିଯୋଗଗୁଡିକର ସ୍ୱାଧୀନ ପୁଷ୍ଟି ତତ୍କ୍ଷଣାତ୍ ମିଳିନାହିଁ।
Disclaimer: Views expressed are those of the author/source. Readers are advised to verify disputed claims through official sources.