NATIONAL NEWS

ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’

By TARUN KANTI PATRA • 2026-09-02 04:33 • 7 views   Share WhatsApp Share Facebook Share X
ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’

ଭୁବନେଶ୍ୱର: କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରୀମାନଙ୍କୁ ସୁରକ୍ଷିତ ପରିବେଶ ଯୋଗାଇବା ସହ ସେମାନଙ୍କୁ ଆତ୍ମବିଶ୍ୱାସୀ ଓ ସଶକ୍ତ କରିବା ଲାଗି ରାଜ୍ୟ ସରକାର ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। କଲେଜ ପରିସରରେ ଛାତ୍ରୀମାନଙ୍କୁ ସଠିକ୍ ଦିଗଦର୍ଶନ, ମାନସିକ ସମ୍ବଳ ଓ ସୁରକ୍ଷାର ଭରସା ଯୋଗାଇବା ପାଇଁ ପ୍ରତି ଜିଲ୍ଲାରେ ନିଯୁକ୍ତ ପାଇବେ ‘ଶକ୍ତି ଅପା’।

ରାଜ୍ୟ ସରକାରଙ୍କ ପ୍ରମୁଖ ‘ଶକ୍ତିଶ୍ରୀ’ ଯୋଜନା ଅଧୀନରେ ରାଜ୍ୟର ପ୍ରତିଷ୍ଠିତ ମହିଳା ପ୍ରତିଭାମାନଙ୍କୁ ଏହି ଦାୟିତ୍ୱ ଦିଆଯିବ, ଯେଉଁମାନେ ଛାତ୍ରୀମାନଙ୍କ ପାଇଁ ରୋଲ୍ ମଡେଲ୍ ଓ ମେଣ୍ଟର ସାଜିବେ। ଏହି ମହତ୍ୱାକାଂକ୍ଷୀ ଯୋଜନାକୁ ତ୍ୱରାନ୍ୱିତ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ଆଜି ସମସ୍ତ ଜିଲ୍ଲାସ୍ତରୀୟ ନୋଡାଲ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ, ପ୍ରତି ଜିଲ୍ଲାରେ ନୋଡାଲ ଡିଗ୍ରୀ କଲେଜ ପକ୍ଷରୁ ପ୍ରାଥମିକ ଭାବେ ୫ଜଣ ବିଶିଷ୍ଟ ମହିଳାଙ୍କୁ ‘ଶକ୍ତି ଅପା’ ଭାବେ ମନୋନୀତ କରାଯିବ। ଜିଲ୍ଲାର ଆବଶ୍ୟକତା ଓ ଭୌଗୋଳିକ ସ୍ଥିତିକୁ ବିଚାରକୁ ନେଇ ଜିଲ୍ଲାପାଳ ଚାହିଁଲେ ଏହି ସଂଖ୍ୟାକୁ ସର୍ବାଧିକ ୧୦ ପର୍ଯ୍ୟନ୍ତ ବଢ଼ାଇ ପାରିବେ। ମନୋନୀତ ଶକ୍ତି ଅପାମାନେ ପ୍ରତି ତିନି ମାସରେ ଅତିକମରେ ଥରେ ଲେଖାଏଁ ନିଜ ଅଧୀନରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ଗସ୍ତ କରି ଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ବୁଝିବେ।

ଏହି ଗସ୍ତ ପାଇଁ ଆବଶ୍ୟକ ଯାତାୟାତ ଖର୍ଚ୍ଚ ଓ ଦୈନିକ ଭତ୍ତା ସମ୍ପୃକ୍ତ କଲେଜ ପକ୍ଷରୁ ସେମାନଙ୍କୁ ସମ୍ମାନଜନକ ଭାବେ ପ୍ରଦାନ କରାଯିବ। ଗସ୍ତ ଶେଷରେ ସେମାନେ ଜିଲ୍ଲା ନୋଡାଲ କଲେଜକୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ, ଯାହା କ୍ୟାମ୍ପସରେ ଥିବା ‘ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍‌କୁ ଅଧିକ ସକ୍ରିୟ କରିବାରେ ବେଶ୍ ସହାୟକ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଁ କେବଳ ଉଚ୍ଚ ଅଭିଜ୍ଞତାସମ୍ପନ୍ନ ମହିଳାମାନଙ୍କୁ ହିଁ ଚୟନ କରାଯିବ, ଯେଉଁମାନଙ୍କର ସମ୍ପୃକ୍ତ କ୍ଷେତ୍ରରେ ଅତିକମରେ ୧୫ ବର୍ଷର ବୃତ୍ତିଗତ ଅଭିଜ୍ଞତା ରହିଥିବ।

ମହିଳା ସୁରକ୍ଷା ଓ ଶିଶୁ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ମହିଳା ସମାଜସେବୀ, ପୁଲିସ ଓ ସଶସ୍ତ୍ର ବାହିନୀରୁ ଅବସରପ୍ରାପ୍ତ ମହିଳା କର୍ମଚାରୀ, ଆଇନ ଓ ସାଇବର ସୁରକ୍ଷା ବିଶେଷଜ୍ଞ, ମାନସିକ ପରାମର୍ଶଦାତା, ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ବରିଷ୍ଠ ଶିକ୍ଷାବିତ୍ ତଥା ସଫଳ ମହିଳା ଉଦ୍ୟୋଗୀମାନଙ୍କୁ ଏହି ଚୟନ ପ୍ରକ୍ରିୟାରେ ପ୍ରାଥମିକତା ଦିଆଯିବ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁଗୋଳ, ବାଲେଶ୍ୱର, ବରଗଡ଼, ଦେବଗଡ଼, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରେ ଏହି ମନୋନୟନ ପ୍ରକ୍ରିୟା ଶେଷ ହୋଇସାରିଛି। ଅବଶିଷ୍ଟ ଜିଲ୍ଲାଗୁଡ଼ିକର ନୋଡାଲ ଡିଗ୍ରୀ କଲେଜଗୁଡ଼ିକୁ ଚଳିତମାସ ୨୧ ତାରିଖ ସୁଦ୍ଧା ନିର୍ଦ୍ଧାରିତ ଗୁଗୁଲ ଫର୍ମ ଓ ଇମେଲ ଯୋଗେ ମନୋନୀତ ‘ଶକ୍ତି ଅପାମାନଙ୍କ’ ସମ୍ପୂର୍ଣ୍ଣ ବିବରଣୀ ବିଭାଗ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦଆଯାଇଛି। ସରକାରଙ୍କ ଏହି ପ୍ରୟାସ କ୍ୟାମ୍ପସରେ ସୁରକ୍ଷା ବଳୟକୁ ସୁଦୃଢ଼ କରିବା ସହ ଛାତ୍ରୀମାନଙ୍କୁ ନିର୍ଭୀକ ଓ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ ବୋଲି କୁହାଯାଉଛି।

TARUN KANTI PATRA 0 followers