LATEST NEWS

ମହାପ୍ରଭୁଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

By TARUN KANTI PATRA • 2026-07-27 06:45 • 6 views   Share WhatsApp Share Facebook Share X
ମହାପ୍ରଭୁଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

ମହାପ୍ରଭୃଙ୍କ ସୁନାବେଶ: ସୁନାବେଶ ଶ୍ରୀଜଗନ୍ନାଥ ମନ୍ଦିରର ଏକ ପ୍ରମୁଖ ଉତ୍ସବ। ଏହି ବିଶେଷ ସେବାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଓ ମୂଲ୍ୟବାନ ବସ୍ତ୍ରରେ ସଜ୍ଜିତ କରାଯାଇ ଏକ ଆଧ୍ୟାତ୍ମିକ ତଥା ମନୋରମ ଦୃଶ୍ୟ ସୃଷ୍ଟି କରାଯାଏ। ଏହି ସୁନାବେଶକୁ ‘ରାଜାବେଶ’ ବା ‘ରାଜାଧିରାଜ ବେଶ’ ବା ରାଜାରାଜେଶ୍ବର ବେଶ ମଧ୍ୟ କୁହାଯାଇଥାଏ।

ବର୍ଷକ ମଧ୍ୟରେ ମୋଟ ପାଞ୍ଚ ଥର ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ। ସେଗୁଡ଼ିକ ହେଲା..

୧ – ଆଷାଢ଼ ଏକାଦଶୀ (ରଥଯାତ୍ରା ସମୟରେ, ବାହୁଡ଼ା ଯାତ୍ରା ପରଦିନ ଜୁଲାଇ ମାସରେ) – ଏହା ଏକମାତ୍ର ସୁନାବେଶ ଯାହା ମନ୍ଦିର ବାହାରେ ରଥ ଉପରେ ହୁଏ

୨- ପୌଷ ପୂର୍ଣ୍ଣିମା (ଜାନୁଆରୀ) – ମନ୍ଦିର ଗର୍ଭଗୃହ ଭିତରେ ରତ୍ନସିଂହାସନ ଉପରେ

୩- ଫାଲଗୁନ/ଦୋଳ ପୂର୍ଣ୍ଣିମା (ମାର୍ଚ୍ଚ) – ମନ୍ଦିର ଗର୍ଭଗୃହ ଭିତରେ ରତ୍ନସିଂହାସନ ଉପରେ

୪- ବିଜୟା ଦଶମୀ / ଦଶହରା (ଅକ୍ଟୋବର) – ମନ୍ଦିର ଗର୍ଭଗୃହ ଭିତରେ ରତ୍ନସିଂହାସନ ଉପରେ

୫- କାର୍ତ୍ତିକ ପୂର୍ଣ୍ଣିମା (ନଭେମ୍ବର) – ମନ୍ଦିର ଗର୍ଭଗୃହ ଭିତରେ ରତ୍ନସିଂହାସନ ଉପରେ

ସୁନାବେଶରେ ସ୍ୱର୍ଣ୍ଣ ଅଳଙ୍କାର: ଠାକୁରମାନଙ୍କୁ ସ୍ୱର୍ଣ୍ଣ ମୁକୁଟ, କିରୀଟ, ହସ୍ତ, ଏବଂ ପଦ ଆଦି ଅଳଙ୍କାରରେ ବିଭୂଷିତ କରାଯାଏ, ଯାହାର ଓଜନ ପ୍ରାୟ ୨୮୦ କିଲୋଗ୍ରାମରୁ ଅଧିକ ହୋଇଥାଏ।

ଆୟୁଧ ବା ଅସ୍ତ୍ର: ଶ୍ରୀଜଗନ୍ନାଥଙ୍କ ଡାହାଣ ହାତରେ ସ୍ୱର୍ଣ୍ଣର ସୁଦର୍ଶନ ଚକ୍ର ଏବଂ ବାମ ହାତରେ ରୂପାର ଶଙ୍ଖ ଶୋଭାପାଏ। ପ୍ରଭୁ ବଳଭଦ୍ରଙ୍କ ବାମ ହାତରେ ସ୍ୱର୍ଣ୍ଣ ହଳ (ଲଙ୍ଗଳ) ଏବଂ ଡାହାଣ ହାତରେ ସ୍ୱର୍ଣ୍ଣ ମୁଷଳ (ଗଦା) ରହିଥାଏ। ଦେବୀ ସୁଭଦ୍ରାଙ୍କ କପାଳରେ ଏକ ପନ୍ନା (ମରକତମଣି) ସଜ୍ଜିତ କରାଯାଏ।

ମାହାତ୍ମ୍ୟ: ଏହି ବେଶ ଦର୍ଶନ କଲେ ଭକ୍ତମାନଙ୍କୁ ସମୃଦ୍ଧି, ଶାନ୍ତି ଏବଂ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି। ରଥଯାତ୍ରା ସମୟରେ ସିଂହଦ୍ୱାର ଆଗରେ ରଥ ଉପରେ ହେଉଥିବା ସୁନାବେଶ ସେହି ଭକ୍ତମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ, ଯେଉଁମାନେ ଅଣ-ହିନ୍ଦୁ କିମ୍ବା ଅନ୍ୟ କାରଣରୁ ମନ୍ଦିର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ ।

ଇତିହାସ: ଏହି ସୁନାବେଶ ପରମ୍ପରା ୧୫ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ଗଜପତି ରାଜା କପିଳେନ୍ଦ୍ର ଦେବଙ୍କ ଶାସନ କାଳରେ (ପ୍ରାୟ ୧୪୬୦ ଖ୍ରୀଷ୍ଟାବ୍ଦରେ) ଆରମ୍ଭ ହୋଇଥିଲା। ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ଜୟ କରିବା ପରେ ରାଜା କପିଳେନ୍ଦ୍ର ଦେବ ବିପୁଳ ପରିମାଣର ସୁନା ଓ ହୀରା ୧୬ଟି ହାତୀ ପିଠିରେ ବୋହି ଆଣିଥିଲେ ଏବଂ ସେହି ସମସ୍ତ ସମ୍ପତ୍ତି ମହାପ୍ରଭୁଙ୍କ ଚରଣରେ ସମର୍ପଣ କରି ଦେଇଥିଲେ। ସେହି ସୁନାରେ ମହାପ୍ରଭୁଙ୍କ ପାଇଁ ଭିନ୍ନ ଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ତିଆରି କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

TARUN KANTI PATRA 0 followers