CURRENT AFFAIRS

ଦଶହରାରେ ବିଜୟ ଉତ୍ସବ ପାଳନ କରି ପିତ୍ରାଳୟକୁ ବାହୁଡିଲେ ମା’ ଭଗବତୀ

By TARUN KANTI PATRA • 2026-10-22 04:20 • 6 views   Share WhatsApp Share Facebook Share X
ଦଶହରାରେ ବିଜୟ ଉତ୍ସବ ପାଳନ କରି ପିତ୍ରାଳୟକୁ ବାହୁଡିଲେ ମା’ ଭଗବତୀ

ବାଣପୁରରେ ମା’ ଭଗବତୀଙ୍କ ବିଜୟାଦଶମୀ ଉତ୍ସବ ସମ୍ପନ୍ନ, ପରମ୍ପରା ଅନୁଯାୟୀ ଦେବୀମାନଙ୍କୁ ଦିଆଗଲା ମେଲାଣି

ବାଣପୁର: ବାଣପୁରର ଶକ୍ତିପୀଠ ମା’ ଭଗବତୀଙ୍କ ମନ୍ଦିରରେ ଦୀର୍ଘ ଷୋଳ ଦିନ ଧରି ଚାଲିଥିବା ଭିତର ପର୍ବ ଓ ବାହାର ପର୍ବର ଶେଷ ଉତ୍ସବ ବିଜୟାଦଶମୀ ଦଶହରା ମଧ୍ୟରାତ୍ରରେ ସମ୍ପନ୍ନ ହୋଇଛି। ପରମ୍ପରା ଅନୁଯାୟୀ, ଏହି ଅବସରରେ ମା’ ଭଗବତୀ ନିଜ ଭଉଣୀ ଦେବୀମାନଙ୍କୁ ସସମ୍ମାନେ ମେଲାଣି ଦେଇଥିଲେ।

ବାଣପୁରର ପ୍ରାଚୀନ ବଙ୍କାଡ଼ଗଡ଼ ରାଜ୍ୟର ସାମାଜିକ ଚଳଣି ଓ ଲୋକପରମ୍ପରା ସହ ଏହି ଯାତ୍ରା ଜଡ଼ିତ। ପରମ୍ପରା ଅନୁଯାୟୀ, ଶାରଦୀୟ ପର୍ବରେ ମା’ ଭଗବତୀଙ୍କ ସହ ମା’ ସିଦ୍ଧେଶ୍ୱରୀ, ମା’ ନାରାୟଣୀ, ମା’ କାଳିଜାଇ, ମା’ ବିରଜାଇ, ବୁଢ଼ୀ ଠାକୁରାଣୀ ଓ ଗଡ଼ଦେବୀ ମା’ କନକଦୁର୍ଗାଙ୍କ ସମ୍ପର୍କିତ ବିଭିନ୍ନ ରୀତିନୀତି ପାଳନ କରାଯାଏ।

ବିଜୟାଦଶମୀ ମଧ୍ୟରାତ୍ରରେ ମା’ ଭଗବତୀ କାଠି ଠାକୁରାଣୀ ଦେବୀ ନାରାୟଣୀ, କାଳିଜାଇ ଓ ବୁଢ଼ୀ ଠାକୁରାଣୀଙ୍କ ଆଜ୍ଞାମାଳକୁ ପରମ୍ପରା ଅନୁଯାୟୀ ମେଲାଣି ଦେଇଥିଲେ। ଏହାପରେ ମା’ ବିରଜାଇ ଓ ଗଡ଼ଦେବୀ ମା’ କନକଦୁର୍ଗାଙ୍କ ଚଳନ୍ତି ପ୍ରତିମାଙ୍କୁ ସାଥିରେ ନେଇ ଥାଟପଟୁଆରରେ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଏହି ଯାତ୍ରାରେ ଶ୍ରୀମଦନମୋହନ ଦେବଙ୍କ ଚଳନ୍ତି ପ୍ରତିମା ମଧ୍ୟ ସାମିଲ ହୋଇଥିଲେ।

ମନ୍ଦିର ସମ୍ମୁଖରେ ଦେବୀମାନଙ୍କ ପାଇଁ ସ୍ୱତନ୍ତ୍ର ଆସନର ବ୍ୟବସ୍ଥା କରାଯାଇଥିଲା। କାଠିନାହାକ କାଠି ଠାକୁରାଣୀଙ୍କୁ ଆସନରେ ଉପବେଶନ କରାଇବା ପରେ ପରମ୍ପରା ଅନୁଯାୟୀ ପଣ୍ଡିତ ବାମନଚରଣ ଦାଶ ଦେବଦେବୀଙ୍କୁ ଆବାହନ ଓ ପଞ୍ଚୋପଚାର ପୂଜା କରିଥିଲେ। ଏହାପରେ ଆଳତି ଓ ବନ୍ଦାପନା କରାଯାଇଥିଲା। ମନ୍ଦିର ପ୍ରବେଶ ପୂର୍ବରୁ ଅଗ୍ନି ଉତ୍ସବ ମଧ୍ୟ ଆୟୋଜିତ ହୋଇଥିଲା।

ଘଣ୍ଟ, କାହାଳୀ, ମାଦଳ ଓ ଢୋଲ ବାଦ୍ୟ ସହ ଭକ୍ତମାନଙ୍କ ଜୟଧ୍ୱନିରେ ମନ୍ଦିର ପରିସର ଉତ୍ସବମୁଖର ହୋଇଉଠିଥିଲା। ପରମ୍ପରାର ଅଂଶ ଭାବେ ଖେଳରେ ହାରିଥିବା ବଳିଜେନା ଆଗାମୀ ବର୍ଷର ଶାରଦୀୟ ପର୍ବରେ ପୁନର୍ବାର ସେବା ଯୋଗାଇବାର ସଂକଳ୍ପ ନେଇ ନିଜ ଗ୍ରାମକୁ ଫେରିଥିବା ବିଶ୍ୱାସ ରହିଛି।

ରାତିର ଶେଷ ପ୍ରହରରେ ମନ୍ଦିରର ନୀତିକାନ୍ତି ସମ୍ପନ୍ନ ହେବା ପରେ ମା’ ବିରଜାଇ ଓ ମା’ କନକଦୁର୍ଗାଙ୍କୁ ନିଜ ମନ୍ଦିରରେ ଛାଡ଼ି ମା’ ଭଗବତୀ କାଠି ଠାକୁରାଣୀ ପିତ୍ରାଳୟ ଶ୍ରୀଦକ୍ଷେଶ୍ୱର ମନ୍ଦିର ଅଭିମୁଖେ ଫେରିଥିଲେ। ଏହି ସମୟରେ ବାଣପୁର ରଘୁନାଥପୁରର ଆରାଧ୍ୟ ଶ୍ରୀରଘୁନାଥ ଦେବଙ୍କ ପକ୍ଷରୁ ମା’ଙ୍କୁ ଅର୍ଦ୍ଧବାଟରୁ ପାଛୋଟି ନିଆଯାଇଥିବା ପରମ୍ପରାରେ ବର୍ଣ୍ଣିତ ହୋଇଛି।

ଶ୍ରୀରଘୁନାଥ ଦେବଙ୍କ ମନ୍ଦିରରେ ମା’ ଭଗବତୀଙ୍କୁ କିଛି ସମୟ ପାଇଁ ଅବସ୍ଥାନ କରାଯାଇଥିଲା। ସେଠାରେ ଅଧର ମୁଆଁ, ଖଇକୋରା, ଘଷା ବିଡ଼ିଆ, ବୁନ୍ଦି ଓ ରସଗୋଲା ଆଦି ଭୋଗ ଅର୍ପଣ ପରେ ଶ୍ରୀରଘୁନାଥ ଦେବଙ୍କ ପକ୍ଷରୁ ମା’ଙ୍କୁ ସସମ୍ମାନେ ପିତ୍ରାଳୟ ଶ୍ରୀଦକ୍ଷେଶ୍ୱର ମନ୍ଦିର ନିକଟରେ ପହଞ୍ଚାଯାଇଥିଲା। ଏହାପରେ ମା’ଙ୍କ ରାତ୍ର ପହୁଡ଼ ନୀତି ସମ୍ପନ୍ନ ହୋଇଥିଲା।

ଦଶହରା ଅବସରରେ ବାଣପୁରର ବିଭିନ୍ନ ମନ୍ଦିର ସମ୍ମୁଖରେ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମା’ଙ୍କ ବିଜୟ ଉତ୍ସବ ଦର୍ଶନ କରିବା ପାଇଁ ରାତିସାରା ଭକ୍ତମାନଙ୍କ ଭିଡ଼ ଲାଗି ରହିଥିଲା। ମନ୍ଦିର କାର୍ଯ୍ୟାଳୟ ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥିଲା।

TARUN KANTI PATRA 0 followers