LATEST NEWS

ସରିଲା ଦୁଇ ମହାଶକ୍ତିଙ୍କ ପ୍ରସିଦ୍ଧ ଭେଟଯାତ୍ରା: ଆଜିଠାରୁ ସପ୍ତମାତାଙ୍କ ଦିବ୍ୟଦର୍ଶନ ଆରମ୍ଭ

By TARUN KANTI PATRA • 2026-10-12 07:26 • 5 views   Share WhatsApp Share Facebook Share X
ସରିଲା ଦୁଇ ମହାଶକ୍ତିଙ୍କ ପ୍ରସିଦ୍ଧ ଭେଟଯାତ୍ରା: ଆଜିଠାରୁ ସପ୍ତମାତାଙ୍କ ଦିବ୍ୟଦର୍ଶନ ଆରମ୍ଭ

ବାଣପୁର ମା’ ଭଗବତୀଙ୍କ ପୀଠରେ ପ୍ରସିଦ୍ଧ ଭେଟଯାତ୍ରା ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ

ବାଣପୁର: ଚଳିତ ବର୍ଷ ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପର୍ବର ସନ୍ଧିକ୍ଷଣ ଉତ୍ସବ ପ୍ରସିଦ୍ଧ ଭେଟଯାତ୍ରା ଅମାବାସ୍ୟାର ଅମୃତ ବେଳାରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମରେ ଘଣ୍ଟ, ଶଙ୍ଖ, କାହାଳୀ, ଢୋଲ ବାଦ୍ୟ, ବାଣ ରୋଶଣୀ, ହୁଳହୁଳି ସହିତ ଦୁଇ ମା’ଙ୍କ ଜୟ ଜୟକାର ଧ୍ୱନିରେ ବାଣପୁର ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା।

ଏହି ଅପୂର୍ବ ମିଳନ ପର୍ବରେ ମହାଶକ୍ତି ମା’ ଭଗବତୀ କାଠି ଠାକୁରାଣୀ ଏବଂ ମା’ ବିରଜାଇ କାଠି ଠାକୁରାଣୀଙ୍କ ମହାମିଳନ ଦୃଶ୍ୟ ଶ୍ରଦ୍ଧାଳୁଙ୍କ ମନହୃଦୟରେ ଅସୀମ ଭକ୍ତି ଭାବନା ସୃଷ୍ଟି କରିଥିଲା।

ପ୍ରଶାସନ ଓ ସେବାୟତଙ୍କ ସହଯୋଗ

ଦେବୋତ୍ତର କାର୍ଯ୍ୟାଳୟର ଅନୁରୋଧକ୍ରମେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବାଣପୁର ମଣ୍ଡଳ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ, ସ୍ଥାନୀୟ ଥାନା ଅଧିକାରୀ ଜୟ ପ୍ରକାଶ ପରୀଡ଼ା, ମନ୍ଦିର ଛତିଶା ନିଯୋଗ, ଗହଣ ସେବାୟତ ଓ ସ୍ଥାନୀୟ ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି ଯାତ୍ରା ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି।

ପ୍ରାଚୀନ ପରମ୍ପରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ରାଜରାଜୁଡ଼ା ଶାସନ ଅମଳରୁ ଚାଲିଆସୁଥିବା ଏହି ପରମ୍ପରାରେ ସାତବଖରା ପର୍ବଗୃହରେ ମହାଶକ୍ତିମୟୀ ସପ୍ତମାତାଙ୍କୁ ଏକତ୍ର ଦର୍ଶନ କରିବା ଏବଂ ମାନସିକ ଦୀପ ଜାଳିବାର ବିଶେଷ ମାହାତ୍ମ୍ୟ ରହିଛି। ଏହି ବାହାର ପର୍ବ ବିଜୟାଦଶମୀ (ଦଶହରା) ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ନିକଟସ୍ଥ ସାତବଖରା ପର୍ବଘରେ ଅନୁଷ୍ଠିତ ହେବ।

କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ସୂଚନା ଅନୁସାରେ, ମହାନବମୀ ପର୍ଯ୍ୟନ୍ତ ପ୍ରତି ସାନ୍ଧ୍ୟକାଳରେ ଭଜନ କୀର୍ତ୍ତନ, ପାଲା, ନୃତ୍ୟ ଓ ସଂଗୀତ ପରି ବହୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି।

##Latestupdate
TARUN KANTI PATRA 0 followers