ସୁନ୍ଦରଗଡ଼ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ସରକାରୀ କର୍ମଚାରୀ ସଂଘର ଆନୁକୂଲ୍ୟରେ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ରଜ ମହୋତ୍ସବ ୧୮ ତାରିଖରେ ଉଦଯାପିତ ହୋଇଛି।
ପାଞ୍ଚ ଦିନ ଧରି ଚାଲିଥିବା ଏହି ଉତ୍ସବରେ ରଜଦୋଳି, ସ୍ୱତନ୍ତ୍ର ପାନ ବଣ୍ଟନ ଏବଂ ସୁନ୍ଦରଗଡ଼ ସାହିତ୍ୟ ପରିବାର ପକ୍ଷରୁ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆକାଶବାଣୀର କଣ୍ଠଶିଳ୍ପୀ ଦୀପ୍ତି ରାୟ ଏବଂ ଲେଖିକା ମୀନତି ମିଶ୍ର ସହ ଅନ୍ୟାନ୍ୟ ସାହିତ୍ୟିକ ଓ କଳାକାରମାନେ ଯୋଗଦେଇଥିଲେ। ବିଭିନ୍ନ କବି ଓ କବୟିତ୍ରୀମାନେ ରଜ ପର୍ବକୁ କେନ୍ଦ୍ର କରି କବିତା ପାଠ କରିଥିଲେ।
୧୮ ତାରିଖ ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଗାୟକ ଓ ଗାୟିକାମାନେ ଭଜନ ପରିବେଷଣ କରିଥିଲେ। ଏହାସହ ସ୍କୁଲ ଛାତ୍ରୀମାନଙ୍କୁ ନେଇ ଏକ ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।
ନୃତ୍ୟ କାର୍ଯ୍ୟକ୍ରମ ଶେଷରେ ସମସ୍ତ ନୃତ୍ୟଶିଳ୍ପୀଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସେହିପରି ଭଜନ ସନ୍ଧ୍ୟାରେ ଅଂଶଗ୍ରହଣ କରିଥିବା କଣ୍ଠଶିଳ୍ପୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ସଂଘର ସମ୍ପାଦକ ମନୋଜ କୁମାର ପୁରୋହିତ ଧନ୍ୟବାଦ ଜ୍ଞାପନ କରିଥିଲେ। ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯାଇଥିଲା ଏବଂ ପାଞ୍ଚଦିନିଆ ରଜ ମହୋତ୍ସବର ସମାପନ ହୋଇଥିଲା।