ସୁନ୍ଦରଗଡ, ୧୧ ଜୁନ: ସୁନ୍ଦରଗଡ ରାଜବାଟି ନିକଟରେ ଅବସ୍ଥିତ ମା’ ସମଲେଇ, ରାଧାକୃଷ୍ଣ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସହ ସମ୍ବନ୍ଧିତ କିଛି ଜମିକୁ ନେଇ ଉଦ୍ବେଗ ପ୍ରକାଶ କରି ଗୁରୁବାର କିଛି ଜଗନ୍ନାଥ ପ୍ରେମୀ, ସ୍ୱେଚ୍ଛାସେବୀ ଓ ସମାଜସେବୀ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଆବେଦନକାରୀମାନଙ୍କ କହିବା ଅନୁସାରେ, ପୂର୍ବତନ ରାଜପରିବାର ମନ୍ଦିରଗୁଡ଼ିକର ନୀତିକାନ୍ତି ଓ ପରିଚାଳନା ପାଇଁ କିଛି ଜମି ଓ ଅନ୍ୟାନ୍ୟ ସମ୍ପତ୍ତି ଦାନ କରିଥିଲେ। ସେହି ଜମିର କିଛି ଅଂଶ ମନ୍ଦିର ପରିଚାଳନା ସହ ସଂପୃକ୍ତ ବ୍ୟକ୍ତିମାନଙ୍କ ମାଧ୍ୟମରେ ଚାଷ ପାଇଁ ବ୍ୟବହୃତ ହୋଇଆସୁଥିବା ବୋଲି ସେମାନେ ଦାବି କରିଛନ୍ତି।
ସ୍ମାରକପତ୍ରରେ ଅଭିଯୋଗ କରାଯାଇଛି ଯେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା କିଛି ଜମିର ମାଲିକାନା ଓ ରେକର୍ଡ ସମ୍ବନ୍ଧରେ ଅନିୟମିତତା ଘଟିଥିବା ସନ୍ଦେହ ରହିଛି। ଏହାର ନିରପେକ୍ଷ ତଦନ୍ତ କରାଯାଇ ଜମିର ପ୍ରକୃତ ସ୍ଥିତି ସ୍ପଷ୍ଟ କରିବାକୁ ସେମାନେ ଦାବି କରିଛନ୍ତି।
ଆବେଦନକାରୀମାନଙ୍କ କହିବା ଅନୁସାରେ, ସେମାନେ ୨୦୧୭ ମସିହାରୁ ଏହି ବିଷୟରେ ସମ୍ପର୍କିତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏହି ପ୍ରସଙ୍ଗରେ ସେମାନେ ଜିଲ୍ଲାପାଳଙ୍କୁ ବିଭିନ୍ନ ଦସ୍ତାବେଜ ମଧ୍ୟ ଦାଖଲ କରିଛନ୍ତି।
ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପ୍ରତିନିଧିମଣ୍ଡଳ କହିଛି ଯେ, ପ୍ରଶାସନ ପକ୍ଷରୁ ମାମଲାର ସମୀକ୍ଷା କରାଯିବ ଏବଂ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ।
ଏହି ବିଷୟରେ ପ୍ରଶାସନ କିମ୍ବା ଅନ୍ୟ ସମ୍ପୃକ୍ତ ପକ୍ଷଙ୍କ ବିସ୍ତୃତ ପ୍ରତିକ୍ରିୟା ଖବର ଲେଖାଯିବା ସମୟ ପର୍ଯ୍ୟନ୍ତ ମିଳିନଥିଲା।